Upload Your Problem Video

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ଓହରି ଗଲେ ବିଚାରପତି

By Yugabda Correspondent, 31-05-2016

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବିରୋଧରେ ନିର୍ବାଚନୀ ପାଣ୍ଠି ଅନିୟମିତତା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ତା’ ପୂର୍ବରୁ ମାମଲା ଏକ ନାଟକୀୟ ମୋଡ଼ ନେଇଛି। ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ଅଦାଲତରେ ଥିବା ଏହି ମାମଲାର ବିଚାର କରିବେ ସେ ନାହିଁ ବୋଲି ଜଷ୍ଟିସ ମିଶ୍ର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣଙ୍କୁ ଲିଖିତ ଭାବେ ଜଣାଇ ଦେବା ସହିତ ଏହାର ବିଚାର ଅନ୍ୟ ଖଣ୍ଡପୀଠରେ କରିବାକୁ ଅନୁରୋଧ କରିଛନ୍ତି। ଜଷ୍ଟିସ ମିଶ୍ର ବ୍ୟକ୍ତିଗତ କାରଣରୁ ଏହି ମାମଲାର ବିଚାର କରି ପାରିବେ ନାର୍ହିଁ ବୋଲି ମୁଖ୍ୟବିଚାରପତିଙ୍କୁ ଲେଖି ମାମଲାରୁ ଓହରି ଯାଇଛନ୍ତି। ତେଣୁ ଆଜି ଆଉ ଏହି ମାମଲାର ଶୁଣାଣି ହେବ ନାହିଁ। ମୁଖ୍ୟ ବିଚାରପତି ଏହି ମାମଲା ଅନ୍ୟ ଖଣ୍ଡପୀଠକୁ ଦେବା ପରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ନିର୍ବାଚନୀ ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଏବଂ ବିଜେଡି ପକ୍ଷରୁ ଦିଆଯାଇଥିବା ହିସାବରେ ତାଳମେଳ ରହୁ ନ ଥିବା ଦର୍ଶାଇ ନବୀନଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦୁଇଟି ମାମଲା ଦାଏର ହୋଇଛି। ସୁବାସ ମହାପାତ୍ର ନାମକ ଜଣେ ସାମାଜିକ କର୍ମୀଙ୍କ ପକ୍ଷରୁ ଆଗତ ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ସେହିପରି ହିଞ୍ଜିଳି ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ମଧ୍ୟ ଏ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଦୁଇଟି ମାମଲା ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବା ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜଷ୍ଟିସ ମିଶ୍ର ଆଜି ଏହି ମାମଲାରୁ ନିଜକୁ ଦୂରେଇ ନେଇଛନ୍ତି।


Create Account



Log In Your Account